ଏକଦା ମଧ୍ୟଭାରତୀୟ ଆର୍ଯ୍ୟଭାଷା ଅନ୍ତର୍ଗତ ପ୍ରାକୃତ ଭାଷା ଭାରତବର୍ଷର ଜନସମୂହଙ୍କ ଭାବ ବିନିମୟର ମାଧ୍ୟମ ହୋଇଥିଲା। ଏହାର ସମୃଦ୍ଧ ସାହିତ୍ୟ ଏବଂ ବ୍ୟାକରଣମାନ ରହିଛି। ବିଭିନ୍ନ ପ୍ରାନ୍ତୀୟ ଭାଷାରେ ପ୍ରାକୃତ ବ୍ୟାକରଣର ଅନୁବାଦ ହୋଇନଥିବାରୁ ଭାଷାଚର୍ଚ୍ଚା ସମୟରେ ସମାଲୋଚକମାନେ ପ୍ରାୟତଃ ଏ ଦିଗ ପ୍ରତି ଯତ୍ନବାନ ହେଉ ନାହାଁନ୍ତି। ତେଣୁ ଭାଷାଚର୍ଚ୍ଚା ସଂସ୍କୃତାଭିମୁଖୀ ହେବାକୁ ବାଧ୍ୟ ହେଉଛି। ଡକ୍ଟର କଳ୍ପତରୁ ନାୟକ ପ୍ରାକୃତ ବ୍ୟାକରଣ ପୁସ୍ତକକୁ ଅନୁବାଦ କରି ଓଡ଼ିଆରେ ସେହି ଅଭାବକୁ ଦୂର କରିବାକୁ ଚେଷ୍ଟା କରୁଛନ୍ତି। ସେ ପ୍ରଥମେ ବରରୁଚିଙ୍କ 'ପ୍ରାକୃତ ପ୍ରକାଶ' ଏବଂ ଅଧୁନା 'ସିଦ୍ଧହେମଶବ୍ଦାନୁଶାସନମ୍]' ପ୍ରାକୃତ ବ୍ୟାକରଣ ପୁସ୍ତକକୁ ଓଡ଼ିଆରେ ଅନୁବାଦ କରିଛନ୍ତି। ଏତଦ୍ ଭିନ୍ନ ଡକ୍ଟର ନାୟକ 'ଭାଗବତର ଭାଷା ବିଶ୍ଳେଷଣ', 'ଓଡ଼ିଆ ଭାଷାର ମୂଳ ପ୍ରାକୃତ ଭାଷା' ଏବଂ 'ଭାଗବତ ଚର୍ଚ୍ଚା' ଆଦି ତିନୋଟି ସମାଲୋଚନା ପୁସ୍ତକ ରଚନା କରିଛନ୍ତି। ହେମଚନ୍ଦ୍ରଙ୍କ 'ସିଦ୍ଧହେମଶବ୍ଦାନୁଶାନମ୍]' ପ୍ରାକୃତ ବ୍ୟାକରଣ ଗ୍ରନ୍ଥଟି ଓଡ଼ିଆ ଭାଷାଚର୍ଚ୍ଚା ସମୟରେ ଗବେଷକମାନଙ୍କ ସହାୟକ ହେବ ବୋଲି ଅନୁବାଦକଙ୍କର ଆଶା ଓ ବିଶ୍ୱାସ।