'ଗୋଟିଏ ଜହ୍ନର କାହାଣୀ' ହେଉଛି କଳ୍ପନାମୟୀଙ୍କର ପ୍ରଥମ ଗଳ୍ପ ସଂକଳନ। ଏଥିରେ ବାରଟି ଗଳ୍ପ ସ୍ଥାନିତ ହୋଇଛି। ଗଳ୍ପଗୁଡ଼ିକ ପଢ଼ିଲେ ମନେହୁଏ ସବୁ ଯେମିତି ଗାଳ୍ପିକାଙ୍କର ନିଜ ଜୀବନର ଘଟଣା। ସହଜ, ସରଳ ଭାଷାଚାତୁରୀ ଭିତରେ ଚରିତ୍ରମାନେ ଚିତ୍ରପଟ ଭଳି ଉଭା ହୁଅନ୍ତି। ପ୍ରତ୍ୟେକଟି ଗଳ୍ପରେ ଭାରତୀୟ ସଂସ୍କୃତି, ମୂଲ୍ୟବୋଧ, ପରମ୍ପରା ଓ ପାରିବାରିକ ବନ୍ଧନର ପବିତ୍ରତା ଚିତ୍ରିତ। ପ୍ରଥମ ଗଳ୍ପଟି 'ମୁକ୍ତା' ଯେପରି ମଦମୁକ୍ତ ସମାଜର ଏକ ବୈପ୍ଳବିକ ପଦକ୍ଷେପ। ଶେଷ ଗଳ୍ପଟି 'ସଂସ୍କାର' ଯେଉଁଠି କଳ୍ପନାମୟୀ ଏକ ନିର୍ଭୀକ ପ୍ରଶ୍ନ ସମାଜକୁ ପଚାରିଛନ୍ତି।
"ବାଲ୍ୟାବସ୍ଥାରୁ ପରଘରକୁ ଯିବାଯାଏ ଝିଅଟିଏ ମା' ବାପା, ଗୁରୁଜନଙ୍କଠାରୁ ସଂସ୍କାର ଶିଖୁଥାଏ। ଶାଶୂଘରେ ବି ସେ ଶିକ୍ଷା ବନ୍ଦ ହୋଇନଥାଏ। ଗୁରୁଜନଙ୍କର ସେବା କରି ସ୍ୱାମୀଙ୍କର ଅନୁଗତା ହୋଇ ମଧ୍ୟ ଝିଅଙ୍କ ଭାଗ୍ୟରେ ଏ ଦୁର୍ଭାଗ୍ୟ କାହିଁକି? କିନ୍ତୁ ପୁଅମାନଙ୍କୁ କାହିଁକି ଏ ସଂସ୍କାର ଶିକ୍ଷା ଦିଆଯାଏନି?" ପ୍ରତ୍ୟେକ ନାରୀର ଏ ପ୍ରଶ୍ନ।