ଯେତେବେଳେ ମୋର ବ୍ୟକ୍ତିସତ୍ତାର ଅସ୍ତିତ୍ୱ ହଜିଯାଇଥିଲା, ଗୋଟେ ଲେଖକ କେବଳ ଥିଲି, ତାହା ଖୁବ୍ ଭଲ ଥିଲା ମୋ ପାଇଁ । ପାଠକୀୟ ପ୍ରତିକ୍ରିୟା ନିରପେକ୍ଷ ମଣୁଥିଲା ମୋତେ । ଭାବୁଥିଲି ଦର୍ପଣଟିଏ ଲେଖାଏଁ ସେଇ ଚିଠି । ଖୋଜୁଥିଲି ମୋ ନିଜର ପ୍ରତିଛବି । ମାତ୍ର ମୋର ପରିଚୟ ଜାଣିଯିବା ପରେ ଅନେକେ ମତେ ଭାବୁଛନ୍ତି ଆଜି ପକ୍ଷଭୁକ୍ତ ବୋଲି । ସତେ ଯେମିତି ମୁଁ ଟେବୁଲ୍]ର ବିପରୀତ ପାଖରେ ବସିବା ମଣିଷ ବିଚ୍ଛିନ୍ନ ସେମାନଙ୍କଠାରୁ । ଅନ୍ୟ ପକ୍ଷରେ ଡାକ୍ତରମାନେ ପ୍ରାୟତଃ ଗପ ପଢ଼ନ୍ତିନାହିଁ । ମୋର ତେଣୁ ମନେହୁଏ ଏକ ଜନବସତିହୀନ ଅଞ୍ଚଳରେ ଅଟକି ଯାଇଥିବାଭଳି ।
ଲେଖୁ ଲେଖୁ ଲେଖିଗଲି ଦର୍ପଣ କଥା । ପ୍ରତିଛବି କଥା । ସମସ୍ତେ କହନ୍ତି, ସାହିତ୍ୟ ଦର୍ପଣ ହେବା ଉଚିତ ସମାଜର । ମାତ୍ର କି ପ୍ରତିଛବି ଦେଖାଏ ସତରେ ଦର୍ପଣଟିଏ?
ଅବିକଳ ଓଲଟା । ବାମପାଶ୍ୱର୍କୁ ଡାହାଣ ଓ ଡାହାଣ ପାଶ୍ୱର୍କୁ ବାମ କରିଦିଏ ଦର୍ପଣ । ମୋ ଗପ ସଂପର୍କରେ କିଏ ସେଭଳି ମନ୍ତବ୍ୟ ଦେଲେ ମୁଁ ଦ୍ୱନ୍ଦ୍ୱରେ ପଡିଯାଏ ତେଣୁ ।