ମୁଁ ଗଳ୍ପଲେଖକ ନୁହେଁ । କଲେଜ ମାଡ଼ିବାର କେତେଦିନ ପରେ ଲେଖିବା ଆରମ୍ଭ କଲି । ସେତେବେଳେ କବିତା ଓ ଗଳ୍ପ ଉଭୟ ଲେଖୁଥିଲି । ଦୁଇ ତିନିବର୍ଷ ପରେ ମୋର ହୃଦ୍]ବୋଧ ହେଲା ଯେ ଗୋଟିଏ ମାଧ୍ୟମ ପାଇଁ ବି ମୋର ସାମର୍ଥ୍ୟ ନାହିଁ, ଗୋଟିଏକୁ ନଛାଡ଼ିଲେ ମୋର ଅବସ୍ଥା ଦୁଇ ନାହାରେ ଗୋଡ଼ ରଖିଥିବା ଲୋକର ଅବସ୍ଥା ପରି ହେବ । ଯାହାକୁ ପାଖରେ ରଖିଲି, ଅର୍ଥାତ୍ କବିତାକୁ, ତା ପ୍ରତି ଯେ ନ୍ୟାୟ କରିପାରିଲି ତାହା ନୁହେଁ, କିନ୍ତୁ ଅନିଚ୍ଛା ବା ଉଦ୍ୟମର ଅଭାବ ତା'ର କାରଣ ନୁହେଁ ।
ବହୁତ ବର୍ଷର ବ୍ୟବଧାନ ପରେ, ୧୯୭୭ ମସିହାରେ, ଏ ସଙ୍କଳନର ପ୍ରଥମ ଗଳ୍ପ (ମହିଷାସୁରବଧ) ଲେଖିଲି । ତା'ପରେ, ମଝିରେ ମଝିରେ, ଯେଉଁ କେତୋଟି ଗଳ୍ପ ଲେଖିଥିଲି ସେଗୁଡ଼ିକ ଏ ସଙ୍କଳନର ଅନ୍ତର୍ଭୁକ୍ତ । ଏତେ ବର୍ଷ ଭିତରେ ଏତେ ଅଳ୍ପ ସଂଖ୍ୟକ ଗଳ୍ପ ଲେଖିଥିବାରୁ ପ୍ରମାଣିତ ହେବ ଯେ ମୁଁ ଗଳ୍ପ ସାହିତ୍ୟର ମୁଲକରେ ଜଣେ ପର୍ଯ୍ୟଟକ, ତା'ର ଅଧିବାସୀ ନୁହେଁ । ସଂଖ୍ୟା ଆହୁରି ଅଳ୍ପ ହୋଇଥା'ନ୍ତା ଯଦି ଗଳ୍ପ ସଂକଳନଟିଏ ପ୍ରକାଶ କରିବା ପାଇଁ କେତେକଙ୍କର ଆଗ୍ରହ ଦୃଷ୍ଟିରୁ ଓ ପୁସ୍ତକର ଆକାରକୁ ଟିକିଏ ମର୍ଯ୍ୟାଦାବନ୍ତ କରିବା ଦୃଷ୍ଟିରୁ ଶେଷ ଛଅଟି ଗଳ୍ପ ଲେଖିନଥାନ୍ତି ।
ଗଳ୍ପ (କ୍ଷୁଦ୍ର ହେଉ ବା ଉପନ୍ୟାସର ବିଷୟ ପରି ଦୀର୍ଘ ହେଉ) ଓ କବିତା ଭିତରେ ବୋଧହୁଏ କିଛି ମୌଳିକ, ଗୁଣାତ୍ମକ ପାର୍ଥକ୍ୟ ନାହିଁ । ଭଲ କବିତାଟିଏ ପରି ଭଲ ଗଳ୍ପଟିଏ ପାଠକକୁ ଅସ୍ଥିର କରେ, ପୁଣି ଅସାର୍ଥକ ଗଳ୍ପ ଓ ଅସାର୍ଥକ କବିତ