ଅତୀତ ସର୍ବଦା ନିଜର କଥା କହିବାକୁ ବର୍ତ୍ତମାନର ସମୟ ପାଖରେ ନିରହଂକାର ଆକାଂକ୍ଷା କରେ। ଅତୀତ ମଧ୍ୟ ଦିନେ ବର୍ତ୍ତମାନ ଥିଲା ଓ ସେଇ ସମୟର ମୂକସାକ୍ଷୀ ଥିଲେ କିଛି ବିଗତ ଘଟଣା, ଗତାୟୁ କ୍ଷଣ ଓ ଅବର୍ତ୍ତମାନ ସାଜିଥିବା କିଛି ମହାମାନବ। ଅତୀତକୁ ପୁନରୁଦ୍ଧାର କରି, ନବ ଅଙ୍ଗସଜ୍ଜା ପୂର୍ବକ ଉପସ୍ଥାପନ କରିବାର ପଶ୍ଚାତ୍ ଭାଗରେ ଥାଏ ତତ୍କାଳୀନ କାଳଖଣ୍ଡକୁ ପୁନର୍ବାର ସାକ୍ଷାତ୍ କରିବାର ଦୁର୍ବାର ଇଚ୍ଛା ଓ ଆଗ୍ରହ। ଏହି ପ୍ରକାର ଉଦ୍ଦେଶ୍ୟକୁ ପରିପୂର୍ଣ୍ଣ କରିଛି ଓଡ଼ିଶାର ସ୍ୱନାମଧନ୍ୟ ନ୍ୟାୟମୂର୍ତ୍ତି ଜଷ୍ଟିସ୍ ରାଜକିଶୋର ଦାସଙ୍କ ଦ୍ୱାରା ଲିଖିତ ଆତ୍ମଜୀବନୀ 'ଅନେକ ଦିନର ଅନେକ କଥା'। ଏହା ମାନବ ସଭ୍ୟତାର ଅନ୍ତଃକରଣକୁ ତତ୍କାଳୀନ ଇତିହାସ- ସମାଜ - ସଂସ୍କୃତି - ବ୍ୟକ୍ତି ମାନସର ବିବିଧ ରୂପରେଖ ମୂଲ୍ୟାଙ୍କନ କରିବାର ପରିସର ସୃଷ୍ଟି କରିବ।