ଏ ଗ୍ରନ୍ଥର ଶୀର୍ଷକ 'ଆଖିରୁ ଆଖିକୁ ଯାହା ଦିଶେ'। ଏଭଳି ନାମକରଣର ହେତୁ ହେଉଛି ଏକ ଦୃଷ୍ଟିଭଙ୍ଗୀ ବା ସ୍ୱକୀୟ ମନନଶୀଳତାର କଥା। ମୋ ଆଖିକୁ ଗୋଟିଏ ପାଠ୍ୟ ଯାହା ଦିଶେ ହୁଏତ ଅନ୍ୟଜଣଙ୍କ ଆଖିକୁ ତାହା ଅଲଗା ଦିଶିପାରେ। ସେଇ ଦିଶୁଥିବା କଥାକୁ ନେଇ ଯେତେ ସବୁ ବିମର୍ଶ ଓ ତର୍ଜମା। ଖାଲି ବିମର୍ଶ କଲେ ତ ହେବନାହିଁ ତାକୁ ବ୍ୟାଖ୍ୟାନ କରିବା ଜରୁରୀ। ବ୍ୟାଖ୍ୟାନ ସହ ତାତ୍ପର୍ଯ୍ୟ ନିର୍ଣ୍ଣୟ ବି ଜରୁରୀ। ଏହି ନିର୍ଣ୍ଣୟକୁ ବିତରଣ କରିବାକୁ ହେବ ସମସ୍ତଙ୍କ ଉପଯୋଗ ପାଇଁ। ତେଣୁ ଏ ଗ୍ରନ୍ଥ ଗୋଟିଏ ନିର୍ଦ୍ଦିଷ୍ଟ ସାହିତ୍ୟ ପ୍ରଭାଗର ଚର୍ଚ୍ଚା ଗ୍ରନ୍ଥ ନୁହେଁ। ଏଥିରେ ରହିଛି ବିବିଧ ସାହିତ୍ୟ ପ୍ରଭାଗର ଜ୍ଞାତବ୍ୟ ତଥ୍ୟପୂର୍ଣ୍ଣ ଆଲୋଚନା। ସ୍ନାତକୋତ୍ତର ଶ୍ରେଣୀରେ ପଢିବାଠାରୁ ଅଦ୍ୟାବଧି ଲିଖିତ ସକଳ ଲେଖାକୁ ସଂକଳିତ କରିବାକୁ ହଠାତ ଇଚ୍ଛା ହେଲା। ସଂକଳିତ କରିବା କଣ ଏକ ଆବଶ୍ୟକତା ? ଆବଶ୍ୟକତା ନିଶ୍ଚୟ। ଏହି ଆବଶ୍ୟକତାବୋଧରୁ ଏ ଗ୍ରନ୍ଥର ଜନ୍ମ। ଏହାକୁ ଆବଶ୍ୟକତାର ଅଭିବ୍ୟକ୍ତି କୁହାଯାଇପାରେ।
ଏହି ଗ୍ରନ୍ଥ ସହିତ ସୂତ୍ରାୟିତ ବିଷୟ ଗୁଡ଼ିକ ନିର୍ଦ୍ଦିଷ୍ଟ ସାହିତ୍ୟିକ ପ୍ରଭାଗର ନୁହେଁ। ଏଥିରେ ରହିଛି ବିବିଧ ପ୍ରସଙ୍ଗ। ଲଳିତ ଚିନ୍ତନ ମୂଳକ ପ୍ରବନ୍ଧ ସହ ଉପନ୍ୟାସ, ଗଳ୍ପ, କବିତା, ନାଟକ, ପତ୍ରପତ୍ରିକା ଓ ଭାଷାତତ୍ତ୍ୱ ସଂପର୍କିତ ବହୁବିଧ ଚର୍ଚ୍ଚାକୁ ନେଇ ଏହାର କଳେବର। ସବୁକିଛି ବ୍ୟବସ୍ଥିତ କି ସୁନିୟନ୍ତ୍ରିତ ନୁହେଁ